Unknown

 

 

 

 

 

 

 

 

 

କାନ୍ଦି ମୁଁ ଜଣାଉଛି

ଭୀମ ଭୋଇ

 

(ସନ୍ଥକବି ଭୀମ ଭୋଇଙ୍କ ଏହା ଏକ ଭାବପୂର୍ଣ୍ଣ ଜଣାଣ, ଚଉତିଶା ରୀତିରେ ରଚିତ । ଏଥିରେ କବିଙ୍କ ଭକ୍ତି ନୈବେଦ୍ୟ ଫୁଟି ଉଠିଛି । ଏ ସଂସାର ଅଳିକ, ମିଥ୍ୟାପୂର୍ଣ୍ଣ । ମିଛମାୟାର ସଂସାରରୁ ମୁକ୍ତିପାଇଁ କବି ଏଥିରେ ଅଲେଖ ସ୍ୱାମୀଙ୍କୁ ନିବେଦନ ଜଣାଇଛନ୍ତି । ସୁନ୍ଦର, ସରଳ ଭାଷା । ଏଥିରେ ଦୁଇଟି ଚଉତିଶା (୬୮ ପଦ) ରହିଛି ।)

 

କାନ୍ଦି ମୁଁ ଜଣାଉଛି ଶୂନ୍ୟ ପୁରୁଷ,

କାହିଁକି କରାଉଛ, ଅଲେଖ ହେ, ହଟହଟା ଭବିଷ ।୧।

କର୍ମ ମୋହର ବାମ ହେଲା ଶ୍ରୀଗୁରୁ,

କେମନ୍ତେ ତରିଯିବି, ଅଲେଖ ହେ, କଳିକାଳ ଦୁସ୍ତରୁ ।୨।

କ୍ଷିତି ମଣ୍ଡଳେ ମୋତେ କରାଇ ଜନ୍ମ,

ଖଣ୍ଡ ତପସ୍ୟା କରି, ଅଲେଖ ହେ, ମୋର ଲେଖିଲା କର୍ମ ।୩।

ଖେଳ କରିବି ବୋଲି ଥିଲା ମୋ ଆଶ,

ଖାଇବା ଗୁଣ୍ଡା ଏବେ, ଅଲେଖ ହେ, ମୋତେ ହେଲାଣି ବିଷ ।୪।

ଗୁରୁଦେବଙ୍କୁ ଭଳି ଏତେ ଅବସ୍ଥା,

ଗଞ୍ଜି ମାରୁଛ ମୋତେ, ଅଲେଖ ହେ, ମୋର କର୍ମର ଦଶା ।୫।

ଗତ କଥା ସୁମରି ଗର୍ଭ ପୋଡ଼ୁଛି,

ଗୁରୁ ଚିନ୍ତା ହୃଦରେ, ଅଲେଖ ହେ, ଅନୁକ୍ଷଣ ପଡ଼ୁଛି ।୬।

ଘାଣ୍ଟିହୋଇ ମରୁଛି ମାୟା ଭିତରେ,

ଘାତ ପଡ଼ୁଛି ଅଙ୍ଗେ, ଅଲେଖ ହେ, ପଞ୍ଚଭୂତ ଆତ୍ମାରେ ।୭।

ଘୋଟିଯାଉଛି ହୃଦେ ଚିନ୍ତା ସନ୍ତାପ,

ଘୋର ଅନ୍ଧାରେ ପଡ଼ି, ଅଲେଖ ହେ, ଉଚ୍ଚେ ପଡ଼ୁଛି ଡାକ ।୮।

ଅଡ଼ୁଆ ହେଲା ତେଜି ନୁହେଁ ମୂରୁଛି,

ଅକଳେ ପଡ଼ି ମୁହିଁ, ଅଲେଖ ହେ, ହେତୁ ଜ୍ଞାନ ହଜୁଛି ।୯।

ଆଣି ଏତେ ଦୂରକୁ ଅବସ୍ଥା ଦେଲ,

ଏବେ ଭୁଞ୍ଜୁଛି ମୁହିଁ, ଅଲେଖ ହେ, କର୍ମେ ଅର୍ଜିଲା ଫଳ ।୧୦।

ଚାରିଦିଗକୁ ମୁଁ ଯେ ଅନାଇଦେଲେ,

ଚେତା ହଜି ଯାଉଛି, ଅଲେଖ ହେ, ହୃଦ ପଦ୍ମେ ଚିନ୍ତିଲେ ।୧୧।

 

ଭାବାର୍ଥ- (୧-୧୧) କବି କାନ୍ଦି କାନ୍ଦି ଶୂନ୍ୟ ପୁରୁଷୁଙ୍କୁ ନିବେଦନ ଜଣାଉଛନ୍ତି- ହେ ଶୂନ୍ୟପୁରୁଷ, ହେ ଅଲେଖ ନିରଞ୍ଜନ ସ୍ୱାମୀ, ମୋତେ ଏ ସଂସାର ମଧ୍ୟରେ କାହିଁକ ହଟହଟା କରାଉଛି ! ହେ ଶ୍ରୀଗୁରୁ, କର୍ମ ମୋ ପ୍ରତି ବାମ ହେଲା, କିପରି ବା ଏ ଭବସାଗରରୁ ତରିବି ? ହେ ଅଲେଖ, ଏ କଳିକାଳ ଦୁଃଖରୁ କିପରି ପାର ହେବି ? ହେ ଶ୍ରୀଗୁରୁ ଜଗତ ବକ୍ଷରେ ମୋତେ ଜନ୍ମ ଦେଲ । ଖଣ୍ଡ ତପସ୍ୟା କରି ମୁଁ ମୋ ଲେଖୁଲା କର୍ମଫଳ ଭୋଗୁଛି ! ହେ ଅଲେଖ, ସଂସାରରେ ହସଖୁସିରେ ସମୟ କାଟିବି ବୋଲି କେତେ ଆଶା କରିଥିଲି; ମାତ୍ର ଖାଇବାର ଅନ୍ନମୁଠାକ ଏବେ ବିଷ ଲାଗୁଛି । ଗୁରୁଦେବଙ୍କୁ ଧାନ ଭଜନ କରି ଏତେ ଅବସ୍ଥା ଭୋଗିବି, କେବେ ଭାବି ନ ଥିଲି । କାହିଁକି ମୋତେ ଗଞ୍ଜଣା ଦେଇ ମାରୁଛ ? ମୋ କର୍ମର ଦଶା ଖରାପ ।

 

ହେ ଅଲେଖ, କଲା କର୍ମର କଥା ମନେ ପକାଇ ହୃଦୟ କାନ୍ଦୁଛି ? ଅନବରତ ଗୁରୁଙ୍କ ଚିନ୍ତା ହୃଦୟକୁ ଘାରୁଛି । ମାୟା ସଂସାର ମଧ୍ୟରେ ଘାଣ୍ଟି ହୋଇ ମରୁଛି ! ଶରୀର ଉପରେ ବାରମ୍ବାର ଆଘାତ ଲାଗୁଛି । ପଞ୍ଚଭୂତ ଆତ୍ମା କାନ୍ଦୁଛି । ହୃଦୟ ମଧ୍ୟରେ ଦୁଃଖ, ଚିନ୍ତା ଘୋଟି ଯାଇଛି-। ଘୋର ଅନ୍ଧକାର ମଧ୍ୟରେ ପଡ଼ି ତୁମକୁ ଉଚ୍ଚରେ ଡାକୁଛି । ହେ ଅଲେଖ, ଯନ୍ତ୍ରଣାରେ ମୁଁ ମରୁଛି, ହେତୁ ଜ୍ଞାନ ହଜି ଯାଉଛି । ମୋତେ ଏ ସଂସାରକୁ ଆଣି ଏତେ ଦୁଃଖ ଦେଉଛ, ମୁଁ କଷ୍ଟ ପାଉଛି । କର୍ମର ଫଳକୁ ଭୋଗ କରୁଛି, ହେ ଅଲେଖ । ଚତୁର୍ଦ୍ଦିଗ ମୋତେ ଅନ୍ଧକାର ଦିଶୁଛି । ସିଆଡ଼େ ଚାହିଁଲେ ଚେତା ହଜିଯାଉଛି । ହେ ପ୍ରଭୁ, ତୁମର ହୃଦ ପଦ୍ମକୁ ଧାନ କରି ମୁଁ ରହିଛି ।

 

ଚକିତ ହେଉଅଛି ଆରମ୍ଭ ଦେଖି,

ଚଉଲୋକ ରକତ, ଅଲେଖ ହେ, ଦେହୁ ଯାଉଛି ଶୁଖି ।୧୨।

ଛାଡ଼ିଯିବାକୁ ମହା ଦୁସ୍ତର ହେଲା,

ଛାଇ ଖରା ଦେଖନ୍ତେ, ଅଲେଖ ହେ, ଭବେ ବୁଡ଼ିଲା ଭେଳା ।୧୩।

ଛାଇର ତଳ ବୋଲି ଥିଲା ବିଚାର,

ଛାଡ଼ି ଯାଉଛି କର୍ମ, ଅଲେଖ ହେ, ହେଉଅଛି ଅସ୍ଥିର ।୧୪।

ଜୀବନଯାକେ ମୋର ନାହିଁ ନା ସୁଖ,

ଯତନେ ଥୋଇଅଛ, ଅଲେଖ ହେ, ଭାଲପଟରେ ଦୁଃଖ ।୧୫।

ଜୀଇଥିବାର କିଛି ନୁହଇ ଭଲ

ଯାବତ ନଟ କୂଟେ, ଅଲେଖ ହେ, ହୋଇ ପଡ଼ୁଛି ଖଳ ।୧୬।

ଝଡ଼ି ପଡ଼ିଲା ପ୍ରାୟେ ମୋତେ ଲାଗୁଛି,

ଝର ଝର ଅଶ୍ରୁତ, ଅଲେଖ ହେ, ବେନି ନେତ୍ରୁ ବହୁଛି ।୧୭।

ଝଞ୍ଜକା ଝଗଡ଼ାରେ ନ’ପାରେ ରହି,

ଝାମ ମାରୁଛି ଅଙ୍ଗେ, ଅଲେଖ ହେ, ମର୍ତ୍ତ୍ୟେ ନୁହଇ ରହି ।୧୮।

ନିଶି ଦିବସେ ପଡ଼ୁଅଛି ଭାଳେଣି,

ନାଶ ହେବାର ବାଟ, ଅଲେଖ ହେ, ମୁହିଁ ନ ଥିଲି ଜାଣି ।୧୯।

ନିନ୍ଦା ହୋଇଲା ଯାହା ଜଗତ ମୁଖେ,

ନିରାଶ ହେଉଅଛି, ଅଲେଖ ହେ, ଏବେ ମୋହରି ସୁଖେ ।୨୦।

ଟାକି ମୁଁ ନ ପାରିଲି ଟିଆ ପର୍ଯ୍ୟନ୍ତେ,

ଟଳିଗଲା ମୋ ମନ, ଅଲେଖ ହେ, ମାୟା ଘୋଟିଲା ମୋତେ ।୨୧।

ଚାହାନ୍ତେ ମୋତେ ଦିଶଇ ଶୂନ୍ୟ,

ଟାଣ ମୋ ରହୁ ନାହିଁ, ଅଲେଖ ହେ, ଗୁଣି ନସରେ ଦିନ ।୨୨।

ଠାବ ନାହିଁନା ମୋର ତିନିପୁରରେ,

ଠଉର ନ ଦିଶଇ, ଅଲେଖ ହେ, ଘୋର କଳିକାଳରେ ।୨୩।

ଠାକୁର ରକ୍ଷା କର ବୋଲି ଡାକୁଛି,

ଭଣେ ଭୀମ ଅର୍କ୍ଷିତ, ଅଲେଖ ହେ, ଠକ ଭଣ୍ଡେ ପଡ଼ିଛି ।୨୪।

 

ଭାବାର୍ଥ- (୧୨-୨୪) ହେ ଅଲେଖ, ଲୋକଙ୍କ ଦୁଃଖକଷ୍ଟ ଦେଖି ମୁଁ ଦୁଃଖିତ ହେଉଛି, ଦେହ ଶୁଖୁଯାଉଛି । ଦେହ ଛାଡ଼ି ଯିବାକୁ ବହୁତ କଷ୍ଟ ହେଉଛି । ହେ ଅଲେଖ ସାମୀ, ଏ ଅନିତ୍ୟ ସଂସାରରେ ମୁଁ ଆଶ୍ରା କରିଥିବା ଭେଳା ବୁଡ଼ି ଯାଉଛି । କର୍ମକୁ ବିଚାର ଛାଡ଼ି ଚାଲି ଗଲାଣି । ଜୀବନ ବେଳକୁ ବେଳ ଅସ୍ଥିର ହେଉଛି । ହେ ଅଲେଖ, ମୋ ଭାଲପଟରେ ଦୁଃଖ ଭୋଗିବାକୁ ଲେଖୁଛ, ଜୀବନଯାକ ସୁଖ ବୋଲି କିଛି ଜାଣିଲି ନାହିଁ । ସଂସାରର ପାପ, ଦୁଃଖ, ଯନ୍ତ୍ରଣା, ଯାବତ ନଟକୁଟ ମଧ୍ୟରେ ବଞ୍ଚି ରହିବାଟା ଭଲ ନୁହଁ । ଦିନକୁ ଦିନ ଏଇଠି ଖଳ କାର୍ଯ୍ୟ ବଢୁଛି । ହେ ଅଲେଖ, ଝଡ଼ି ପଡ଼ିଲା ପରି ମୋତେ ଲାଗୁଛି । ଚକ୍ଷୁ ଯୁଗଳରୁ ଝରଝର ହୋଇ ଲୁହ ଝରିପଡୁଛି । ଝଗଡ଼ା, ଝଞ୍ଜଟ ଅନବରତ ଏଠାରେ ଲାଗି ରହିଛି । ମୁଁ ରହିପାରୁନି । ଅଣନିଃଶ୍ୱାସୀ ହୋଇପଡୁଛି, ଦେହରେ ଝାସ ମାରୁଛି । ମର୍ତ୍ତ୍ୟ ମଣ୍ଡଳରେ ରହିବାଟା କଷ୍ଟ ହେଲାଣି ।

 

ହେ ଅଲେଖ, ସଂସାରରେ ନାଶ ଯିବାର ବାଟ ଦେଖି ଦିବାରାତ୍ରି ଚିନ୍ତା ସାଗରରେ ବୁଡ଼ି ରହୁଛି । ଏମିତି ଘଟିବ ବୋଲି ମୁଁ ଜାଣି ନ ଥିଲି । ହେ ଅଲେଖ, ଜଗତ ଲୋକଙ୍କ ମୁଖରେ ନିନ୍ଦା ଶୁଣି ମୁଁ ନିରାଶ ହୋଇପଡୁଛି । ଏ ସଂସାରକୁ ମୁଁ ଠଉରାଇପାରିଲି ନାହିଁ । ହେ ପ୍ରଭୁ, ମୋ ମନ ଟଳିଗଲା, ମୋତେ ସାଂସାରିକ ମାୟା ଆଚ୍ଛନ୍ନ କରିପକାଇଲାଣି । ମୁଁ ଚକ୍ଷୁକୁ ଟେକି ଚାରିଦିଗକୁ ଚାହିଁଲେ କେବଳ ଶୂନ୍ୟ ଦେଖାଯାଉଛି । ମନ ମଧ୍ୟରେ ଦୃଢ଼ତା ଭାବ ରହୁନାହିଁ । ଭାବି ଭାବି ଦିନ ସରୁନାହିଁ । ହେ ପ୍ରଭୁ ଅଲେଖ ସ୍ଵାମି, ଏ ଘୋର କଳିକାଳରେ ତୁମ ବିନା ଏ ତିନିପୁରରେ ମୋର କେହି ସାହା ଭରସା ନାହିଁ । କିଛି ବାଟ ଦିଶୁ ନାହିଁ । ହେ ଅଲେଖ ଠାକୁର, ଦୀନ ଅକ୍ଷିତ ଭୀମ ଭୋଇର ଡାକ ଶୁଣ । ଠକ, ଭଣ୍ଡଙ୍କ ହାବୁଡ଼ରେ ମୁଁ ପଡ଼ିଛି । ମୋତେ ଏ ବିପଦରୁ ଉଦ୍ଧାର କର ।

 

ଡିଙ୍ଗର ତୁଲେ ମୁହିଁ ହୋଇଛି ସଙ୍ଗ,

ଦଣ୍ଡ ପଡ଼ୁଛି ଅଙ୍ଗେ, ଅଲେଖ ହେ, ପ୍ରାଣେ ନାହିଁ ମୋ ଦମ୍ଭ ।୨୫।

ଡର ମାଡ଼ୁଛି ମୋତେ ଦୁଷ୍ଟମାନଙ୍କୁ,

ଡୋଳେ ଦେଖି ବିଚାର, ଅଲେଖ ହେ, ବୁଝି ଆଗପଛକୁ ।୨୬।

ଢାଳି ସମ୍ଭାଳି ନୁହେଁ କରିବି କିସ,

ଢୋକୁଅଛି ଅଜ୍ଞାନେ, ଅଲେଖ ହେ, ନାଗ ଗରଳ ବିଷ ।୨୭।

ଢାଉ ରଙ୍ଗକୁ ଦେଖି ପଡ଼ୁଛି ଭୋଳେ,

ଢାଙ୍କୁଣୀ ଦିଆହୋଇ, ଅଲେଖ ହେ, ଭ୍ରମୁଅଛି ଅଥଳେ ।୨୮।

ଅଣାକାରଙ୍କୁ ଭଳି ଏତେ ଅବସ୍ଥା,

ଅନ୍ତର୍ଗତରେ ମୋତେ, ଅଲେଖ ହେ, ସବୁ ହେଲାଣି ପିତା ।୨୯।

ଅନୁକ୍ଷଣେ ହୃଦରେ ଘାରି ହେଉଛି,

ଅଣ ଆୟତେ ମୁହିଁ, ଅଲେଖ ହେ, ମାୟା ମୋହେ ପଡ଼ିଛି ।୩୦।

ତ୍ରିଗୁଣ ରଜ୍ଜୁକରେ ଲାଗିଛି ଫାଶ,

ତତ୍ତ୍ୱକରି ବୁଝିଲେ, ଅଲେଖ ହେ, ନ ପାଉଛି ସାହସ ।୩୧।

ତାକି ନୋହିଲା ମୋର ଆଗପଛକୁ,

ତରକି ନ ପାରିଲି, ଅଲେଖ ହେ, ମାୟାଛନ୍ଦ ମିଛକୁ ।୩୨।

ଥିତି ମୁଁ କରିଥିଲି ଯେତେ ଦିନରୁ

ଥୟ ନାହିଁ ମୋ ମନ, ଅଲେଖ ହେ, ଖଳବଳ ହେବାରୁ ।୩୩।

ଥରି ଯାଉଛି ମୋର ପିଣ୍ଡ ପରାଣ,

ଥାଉ ଜୀବନ ପିଣ୍ଡେ, ଅଲେଖ ହେ, ଘୋଟିଲାଣି ମରଣ ।୩୪।

ଦାରୁଣ ବିହି ମୋତେ ଏମନ୍ତ କଲା,

ଦାତାହୋଇ ସଂସାରେ, ଅଲେଖ ହେ, ବିଷ ଜହର ଦେଲା ।୩୫।

 

ଭାବାର୍ଥ- (୨୫-୩୫) ହେ ଅଲେଖ, ମୁଁ ଡିଙ୍ଗର (ଧୂର୍ତ୍ତ) ସଙ୍ଗରେ ସଙ୍ଗ ହୋଇ କଷ୍ଟ ପାଉଛି । ମୋ ପ୍ରାଣକୁ ଆଉ ଦମ୍ଭ ଲାଗୁନାହିଁ । ଦୁଷ୍ଟମାନଙ୍କୁ ଦେଖିଲେ ମୋତେ ଭୟ ଲାଗୁଛି । ଆଗପଛ କ’ଣ କରିବି ଜାଣିପାରୁନାହିଁ ବା ସମ୍ଭାଳି ପାରୁନାହିଁ । ଅଜ୍ଞାନ ବଶତଃ ସର୍ପର ବିଷକୁ ପାନ କରିପକାଉଛି । ହେ ଅଲେଖ ସ୍ଵାମ, ଢାଉ (ଗେରୁମାଟି) ରଙ୍ଗକୁ ମୁଁ ଭୋଳ ହୋଇଯାଉଛି । ଢାଙ୍କୁଣି ମଧ୍ୟରେ ତାହା ରହିଛି । ଅଥଳ ସାଗର ମଧ୍ୟରେ ଯେମିତି ଉବୁଟୁବୁ ହେଉଛି । ଅନ୍ତର ମଧ୍ୟରେ ସଂସାରଟା ପିତା ପିତା ଲାଗୁଛି । ସ୍ଵୟଂ ଅଣାକାରଙ୍କୁ ଭଜି ଏଭଳି ଅବସ୍ଥା କାହିଁ କି ଭୋଗୁଛି, ଜାଣିପାରୁନାହିଁ । ହେ ଅଲେଖ, ମୁଁ ଅଣଆୟତ୍ତ ହୋଇପଡ଼ିଛି । ପ୍ରତିକ୍ଷଣରେ ଅନ୍ତର ମଧ୍ୟରେ ଦୁଃଖ ପାଉଛି । ମୋହମାୟାରେ ପଡ଼ି ଘାଣ୍ଟି ହେଉଛି ।

 

ହେ ଅଲେଖ ନିରଞ୍ଜନ, ମୋ ହାତ ତ୍ରିଗୁଣ ରଜ୍ଜୁରେ ବନ୍ଧା । ଏହାର ତତ୍ତ୍ୱ ବୁଝିବାକୁ ମନରେ ସାହସ ଆସୁନାହିଁ । ସଂସାରର ମୋହମାୟାକୁ ତର୍କି ପାରିଲି ନାହିଁ । ଜଗତରେ ଖଳ ଲୋକ ବୃଦ୍ଧି ପାଉଛନ୍ତି । ଯେତେ ଦିନ ବଞ୍ଚିବା ପାଇଁ ଆଶା କରିଥିଲି, ତାହା ହେଲା ନାହିଁ । ଦୁଷ୍ଟ ଲୋକଙ୍କ ଯୋଗୁଁ ମନ ମୋର ଥୟ ରହୁନାହିଁ । ହେ ଅଲେଖ,ମୋର ପିଣ୍ଡରେ ପ୍ରାଣ ଥରିଯାଉଛି । ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ମରଣ ଯେମିତି ଘୋଟି ଆସୁଛି । ହେ ଅଲେଖ, ଦାରୁଣ ବିଧାତା ମୋତେ ଏମିତି କଷ୍ଟ ଦେଉଛି । ନିଜେ ଦାତା ହୋଇ ବିଷ ଦେଉଛି ।

 

ଦରିଆରେ ପକାଇ ଅନ୍ତର ହେଲ,

ଦୟା ନାହିଁ ବହିଲ, ଅଲେଖ ହେ, ଗଳେ ବାନ୍ଧି ପଥର ।୩୬।

ଧର୍ମ ପୁରୁଷ ମୋତେ ଏମନ୍ତ କଲା,

ଧରି ବାନ୍ଧିଣ ମୋତେ, ଅଲେଖ ହେ, ଜଳେ ଭସାଇ ଦେଲା ।୩୭।

ଧିକ ଜୀବନ ପିଣ୍ଡୁ ଯାଉ ନା ମୋର,

ଧରଣୀ ମଣ୍ଡଳରେ, ଅଲେଖ ହେ, କେହି ନୁହେଁ କାହାର ।୩୮।

ନବଖଣ୍ଡ ମହୀରେ ହୋଇଛି ଜାତ,

ନଜାଣି ଥିଲି ମୁହିଁ, ଅଲେଖ ହେ, ହେବି ବୋଲି ଏମନ୍ତ ।୩୯।

 

ନର-ଦେହ ବହିବା ହେଲା ବିଅର୍ଥ,

ନାରୀ ସଙ୍ଗତେ ପଡ଼ି, ଅଲେଖ ହେ, ଗଲା ପୂର୍ବ ସୁକୃତ ।୪୦।

ପାଇ ମୁଁ ଥିଲି ଗତି ମୁକତି ଭେଦ,

ପାସୋର ଗଲା ମନୁ, ଅଲେଖ ହେ, କଲି ଜନମ ହଦ ।୪୧।

ପଡ଼ି ମୁଁ ଅଛି କୁମ୍ଭୀ ନରକ କୁଣ୍ଡେ,

ପଥର ଖଣ୍ଡିଏକ ଅଲେଖ ହେ, ଖସିପଡ଼ୁଛି ମୁଣ୍ଡେ ।୪୨।

ଫଟାକରମ ମୋର ନୁହେଁ ସଳଖ,

ଫଳ ଫଳିଲା ଯେତେ, ଅଲେଖ ହେ, ସବୁ ହୋଇଲା ପୋକ ।୪୩।

ଫୁରୁଣା ନାହିଁ ମୋର ଜନମଯାକେ,

ଫେଡ଼ି ମୁଁ କହୁଅଛି, ଅଲେଖ ହେ, ଏବେ ମୋହରି ସୁଖେ ।୪୪।

ବାତୁଳ ହେଲି ମୁହିଁ ଲୋଭରେ ପଡ଼ି,

ବହୁତ ବାଣିଜ୍ୟରେ ଅଲେଖ ହେ, ମୂଳ ଯାଉଛି ବୁଡ଼ି ।୪୫।

ବିଷପରାଏ ବୋଲି ଜାଣି ନ ଥିଲି,

ବେଶୀ ମୁଁ ଖାଇଦେଲି, ଅଲେଖ ହେ, ବୁଦ୍ଧି ହରାଇ ଦେଲି ।୪୬।

ଭୟ ମାଡ଼ିଲା ହୃଦେ ନୋହିଲା କହି,

ଭାରି ହୋଇଲା ପାପ, ଅଲେଖ ହେ, ମର୍ତ୍ତ୍ୟେ ନୁହଇଁ ରହି ।୪୭।

ଭ୍ରଷ୍ଟ ହେବାର ଦେଖି ଅଦୃଷ୍ଟ ମାନି,

ଭଣେ ଭୀମ ଅର୍କ୍ଷିତ, ଅଲେଖ ହେ, ଆଗପଛ ନଜାଣି ।୪୮।

 

ଭାବାର୍ଥ- (୩୫-୪୮) ହେ ଅଲେଖ, ମୋ ପ୍ରତି ତୁମେ ଦୟାଶୀଳ ହେଲା ନାହିଁ । ଗଳାରେ ପଥର ବାନ୍ଧି ସଂସାର ସାଗର ମଧ୍ୟରେ ପକାଇ ଦେଲ । ଧର୍ମପୁରଷ ମୋତେ ବାନ୍ଧି ଦେଇ ଜଳ ମଧ୍ୟରେ ଭସାଇ ଦେଲେ । ଧିକ୍‍ ମୋ ଜୀବନ, ପିଣ୍ଡରୁ ଯାହା ପ୍ରାଣଟା ଗଲା ନାହିଁ । ହେ ସ୍ୱାମୀ ନିରଞ୍ଜନ, ଏ ସଂସାର ମଧ୍ୟରେ କେହି କାହାର ନୁହଁନ୍ତି । ଏ ସଂସାରରେ ଏମିତି କଷ୍ଟ ପାଇବି ବୋଲି ଜାଣିଥିଲେ ଜନ୍ମ ହୋଇ ନ ଥା’ନ୍ତି । ଦୁଃଖ ସଂସାରଟା ବୋଲି ଜାଣି ନ ଥିଲି । ନର ଦେହ ଧାରଣ କରି ଜନ୍ମ ହେବାଟା ବିଅର୍ଥ ଗଲା । ନାରୀ ସଙ୍ଗରେ ପଡ଼ି ପୂର୍ବର ସୁକୃତ ନଷ୍ଟ ହୋଇଗଲା । ହେ ଅଲେଖ, ମୁଁ ଜୀବନରେ ଗତିମୁକ୍ତିର ଭେଦ ପାଇ ନ ଥିଲି । ମନ ମଧ୍ୟରୁ ସବୁ ପାସୋର ଗଲାଣି । ମୁଁ ଏବେ କୁମ୍ଭୀପାକ ନରକରେ ପଡ଼ି ଘାଣ୍ଟି ହେଉଛି । ମୁଣ୍ଡ ଉପରେ ମୋର ପଥର ଖସିପଡୁଛି ।

 

ହେ ଅଲେଖ ନିରଞ୍ଜନ, ମୋର କରମ ଫଟା, ସଳଖ ନୁହେଁ, କର୍ମରେ ଯାହା ଫଳ ଫଳିଲା, ସେଥିରେ ପୋକ ଲାଗିଗଲା । ଜୀବନ ଯାକ ମୋ କର୍ମରେ ଫୁରୁଣା (ସୁଖ) ଲେଖା ନାହିଁ-। ଲାଭ ପାଇବା ପାଇଁ ବେଶି ବାଣିଜ୍ୟ ବେପାର କଲି; କିନ୍ତୁ ଲାଭ ମିଳିବା ଦୂରର କଥା, ମୂଳ ବୁଡ଼ିଗଲା । ସେଇ ଲୋଭ ଯୋଗୁଁ ମୁଁ ପାଗଳ ହୋଇଯାଇଛି । ହେ ଅଲେଖ, ବିଷ ବୋଲି ନ ଜାଣି ଅନେକ ଖାଇଦେଲି, ଏବେ ବୁଦ୍ଧିବଣା ହୋଇ ବସିଛି । ହେ ଅଲେଖ ସ୍ଵାମି, ହୃଦୟରେ ଭୟ ଆସ୍ଥାନ ଜମେଇ ବସିଛି, କହିବା ପାଇଁ ଶକ୍ତି ପାଉନି । ପାପରେ ଭାରାକ୍ରାନ୍ତ ଏ ମହୀରେ ରହିପାରୁନାହିଁ । ସଂସାରରେ ଭ୍ରଷ୍ଟ ହୋଇଯାଉଛି । ଆଗପଛ ଜାଣିପାରୁନାହିଁ । ଅର୍କ୍ଷିତ ଭୀମ ଏହାକୁ ଗୀତରେ ଭଣିଲେ ।

 

ମହତ ସରିଲାଣି କରିବି କିସ,

ମରିଯିବାର ଭଲ ଅଲେଖ ହେ, ତେଜି ତ୍ରିପୁରଯଶ ।୪୯।

ମହୀମଣ୍ଡଳେ ପରକାଶ ମହିମା,

ମତୁଆ ହେଲ ସର୍ବେ ଅଲେଖ ହେ, ମନେ ବହି ଗରିମା ।୫୦।

ଯେତେ ପ୍ରକାରେ ଧର୍ମ ସ୍ଥାପନା ହେଲା,

ଜାଗ୍ରତ କରୁ କରୁ, ଅଲେଖ ହେ, ସତ୍ୟ ନାହିଁ ରହିଲା ।୫୧।

ଜାଣୁ ଜାଣୁ ଚିତ୍ତରେ ହୋଇଲି ଭ୍ରମ,

ଯେସନେ ପଶୁଜନ୍ମ, ଅଲେଖ ହେ, ପ୍ରାୟେ କଲି ମୁଁ କର୍ମ ।୫୨।

ରଙ୍କ ଧନ ପାଇଲା ପରାୟେ ହେଲି,

ଗୌରବ ନର୍କେ ପଡ଼ି, ଅଲେଖ ହେ, ତନୁ ହରାଇଦେଲି ।୫୩।

ରାକ୍ଷସ ବୁଦ୍ଧି ଆସି ପଡ଼ିଲା ହୃଦେ,

ରାଗ ତମରେ ପଡ଼ି ଅଲେଖ ହେ, ରସି ମାଏଁସ ମଦେ ।୫୪।

ଲଜ୍ଜା ପାଇବି ବୋଲି ନ ଥିଲା ଜଣା,

ଲତା ଭିତରେ ପଡ଼ି, ଅଲେଖ ହେ, ଏବେ ହେଉଛି ବଣା ।୫୫।

ଲୋଭେ ମୁଁ ପଡ଼ିଗଲି ହୋଇଲି ବାଇ,

ଲୁହ ପୋଛନ୍ତେ ନେତ୍ରୁ, ଅଲେଖ ହେ, ଫଳ ନୋହିଲା ଖାଇ ।୫୬।

ବଢିଗଲା ବିଷୟା ନୋହିଲା ଛେଦି,

ବିଧିମତ ବିଚାରି ଅଲେଖ ହେ, ନାହିଁ ପାରିଲି ସାଧି ।୫୭।

ବହିଅଛି ମୁଣ୍ଡରେ ପାପ ପସରା,

ବୃତ୍ତିକରି ମିଛକୁ, ଅଲେଖ ହେ, ନାମେ କରି ଆଶରା ।୫୮।

ଶିରୀ ଚ୍ୟୁତ ହୋଇଲା ଧର୍ମ ଉଠିଲା,

ସିଂହ ଘରେ ଶୃଗାଳ, ଅଲେଖ ହେ, କଳିଯୁଗେ ପଶିଲା ।୫୯।

ସରିଲାଣି ସକଳ ନାହିଁନା କିଛି,

ସ୍ରୋତାହେତୁ ବୁଡ଼ାଇ, ଅଲେଖ ହେ, ଅଣ ଚେତାରେ ଅଛି ।୬୦।

ସଦ୍‌ଗୁରୁ ମୋହର ଆଦି ଅନନ୍ତ,

ସଂସାରେ ଦେହବହି, ଅଲେଖ ହେ, ସରିଲାଣି ଇଜ୍ଜତ ।୬୧।

 

ଭାବାର୍ଥ- (୪୯-୬୧) ହେ ଅଲେଖ, ମୋର ମହତ ସରିଲାଣି । କ’ଣ କରିବି ଜାଣିପାରୁ ନାହିଁ । ମରିଯିବାଟା ବରଂ ଭଲ । ତିନିପୁରର ଯଶକୁ ପରିତ୍ୟାଗ କରି ଜଗତରେ ମହିମାକୁ ପ୍ରକାଶ କର । ମନରେ ଗର୍ବ, ଗରିମାକୁ ଧରି ସଂସାରରେ ସମସ୍ତେ ମତୁଆଲ ହୋଇଛନ୍ତି-। ହେ ଅଲେଖ, ଜଗତରେ ଯେତେପ୍ରକାର ଧର୍ମ ସ୍ଥାପିତ ହେଲା, ସେ ସବୁର ରକ୍ଷା ପାଇଁ ଯେତେ ପ୍ରକାର ଯତ୍ନ କରାଗଲା, ସେଥିରେ କିଛି ଫଳ ମିଳିଲା ନାହିଁ, ସତ୍ୟ ଦୁରେଇ ଗଲା । ଜାଣୁଜାଣୁ ମନରେ ଭ୍ରମ ଜନ୍ମିଲା । ଯେମିତି ପଶୁମାନେ କର୍ମ ଆଚରନ୍ତି, ମୁଁ ସେମିତି କର୍ମ କଲି । ରଙ୍କ ଧନ ପାଇଲା ପ୍ରାୟ ହେଲି । ଗୌରବ ନରକରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଲାପରି, ମାୟାମୋହ ସଂସାରରେ ପଡ଼ି କଷ୍ଟ ପାଉଛି ।

 

ହେ ଅଲେଖ ନିରଞ୍ଜନ, ମଦ, ମାଂସରେ ଆସକ୍ତ ହୋଇ, ରାଗ ଅନ୍ଧକାରରେ ବୁଡ଼ିଛି । ମୋ ହୃଦୟରେ ରାକ୍ଷସବୁଦ୍ଧି ପଶିଛି । ଲତା ଭିତରେ ପଡ଼ି ବୁଦ୍ଧିବଣା ମୋର ହେଲାଣି । ଏମିତି ଲଜ୍ଜା ପାଇବି ବୋଲି ମୋତେ ଜଣା ନ ଥିଲା । ହେ ସ୍ୱାମୀ, ଲୋଭରେ ପଡ଼ି ମୁଁ ବାଇ ହେଲି, ଫଳ କିନ୍ତୁ ପାଇଲି ନାହିଁ । ଆଖିରୁ ଲୁହ ପୋଛିବାଟା ଏବେ ସାର ହେଉଛି । ହେ ଅଲେଖ, ପାର୍ଥିବ ମୋହରେ ପଡ଼ି ଘାଣ୍ଟି ହେଉଛି, ତାକୁ ଛେଦି ହେଉନାହିଁ । ବିଷୟା ମୋହ ଠାରୁ ଦୂରେଇ ଯାଇପାରୁନାହିଁ । ମୁଣ୍ଡରେ ପାପ ପସରା ବହିଛି । ଅନୀତି, ମିଥ୍ୟାରେ ଦିନ ଯାଉଛି । ହେ ଅଲେଖ, ମୋର ଶିରୀ ଟ୍ୟୁତ ହେଉଛି, ଧର୍ମ ଉଭେଇ ଗଲାଣି । ସିଂହ ଘରେ ଶୃଗାଳ ପଶିଲା ପରି ସତ୍ୟର ଘରେ କଳି ପ୍ରବେଶ କଲାଣି । ଜୀବନରୁ ସବୁକିଛି ସରିଗଲାଣି, କିଛି ନାହିଁ । ଚେତାଶୂନ୍ୟ ହୋଇ ପଡ଼ିଛି । ହେ ସଦ୍‌ଗୁରୁ, ଅନନ୍ତ, ସଂସାରରେ ମୋର ଇଜ୍ଜତ ସରିଗଲାଣି । ସଂସାରରେ ଅଲେଖ ଦେହ ବହି ଜନ୍ମ ନେଇଛି, ମୋତେ ଉଦ୍ଧାର କର ।

 

ଶୂନ୍ୟ ଦିଶୁଛି ମୋତେ ତିନି ଭୁବନ,

ଶାଖା ମୋ ନାହିଁ କେହି, ଅଲେଖ ହେ, ଘାଣ୍ଟି ହେଉଛି ମନ ।୬୨।

ଶୂନ୍ୟ ପୁରୁଷ ମୋତେ କର ଉଦ୍ଧାର,

ଶୁଭାଇ ଡାକୁଅଛି, ଅଲେଖ ହେ, ଦିଶୁଅଛି ଅନ୍ଧାର ।୬୩।

ସତେ ବୁଝିବେ ବୋଲି କରିଛି ଆଶା,

ସହି ମୁଁ ଅଛି ତେଣୁ ଅଲେଖ ହେ, ନାମେ କରି ଭରସା ।୬୪।

ହୋଇଲା ଯେତେ କଥା ଆପ କରମ,

ହର୍ଷ ନୋହିଲା ଦିନେ, ଅଲେଖ ହେ, ହାଡ଼ିଯାଉ ଜୀବନ ।୬୫।

ହିଆ ପଥର ପରି ଦିନ ମୋ ଗଲା,

ହାନିଲାଭ ଯେତେକ, ଅଲେଖ ହେ, କର୍ମେ ଫଳ ଫଳିଲା ।୬୬।

କ୍ଷିତିମଣ୍ଡଳେ ମୁହିଁ ରହିଛି ଧ୍ୟାୟି,

କ୍ଷୀର ସିନ୍ଧୁ ବିହାରୀ ଅଲେଖ ହେ, ତୁମ୍ଭେ ବୁଝିଲ ନାହିଁ ।୬୭।

ଖାତ ଭିତରେ ମୁହିଁ ପଡ଼ୁଛି ଡାକ,

ଭଣେ ଭୀମ ଅର୍କ୍ଷିତ, ଅଲେଖ ହେ, ମୋର ନାହିଁ ନା ସୁଖ ।୬୮।

 

ଭାବାର୍ଥ- (୬୨-୬୮) ହେ ଅଲେଖ ସ୍ଵାମି, ତିନିଭୁବନ ମୋତେ ଶୂନ୍ୟ ଦିଶୁଛି । ସଂସାରରେ ମୋର ସାହା କେହି ନାହିଁ । ମନଟା ଅହରହ ଘାଣ୍ଟି ହେଉଛି । ହେ ଶୂନ୍ୟପୁରୁଷ, ତୁମକୁ ଆର୍ତ୍ତକଣ୍ଠରେ ଡାକୁଛି, ଚାରିଆଡ଼େ ଅନ୍ଧାର ଦିଶୁଛି । ମୋତେ ଉଦ୍ଧାର କର । ମୋ କଥା ବୁଝିବ ବୋଲି ତୁମକୁ ଆଶ୍ରା କରିଛି । ତୁମ ମନକୁ ଭରସା କରି ସବୁ ଦୁଃଖ କଷ୍ଟକୁ ସହିଛି ।

 

ହେ ଅଲେଖ, ମୁଁ ମୋର କର୍ମକୁ ଭୋଗୁଛି । ଦିନେ ମଧ୍ୟ ଜୀବନରେ ଆନନ୍ଦ ପାଇଲି ନାହିଁ । ଏ ଜୀବନ ପୋଡ଼ିଯାଉ । ହୃଦୟକୁ ପଥର କରି ଦିନ କାଟୁଛି । ଯେତେସବୁ ହାନିଲାଭ କର୍ମରେ ଫଳିଲା । ହେ କ୍ଷୀରସିନ୍ଧୁବିହାରି, ହେ ଅଲେଖ, ସଂସାରରେ ମୁଁ ତୁମକୁ ଧ୍ୟାନ କରି ରହିଛି । ତଥାପି ମୋ ଦୁଃଖ ତୁମେ ବୁଝୁନାହଁ । ହେ ଅଲେଖ, ଖାତ ଭିତରେ ପଡ଼ି ମୁଁ ତୁମକୁ ଡାକୁଛି, ମୋ ଜୀବନରେ କ’ଣ ସୁଖ ନାହିଁ ? ଭୀମ ଅର୍କ୍ଷିତ ଏହି ଗୀତ ରଚନା କଲେ ।

 

Image